ମେକ୍ ଇନ୍ ଇଣ୍ଡିଆର କମାଲ ! ଆମେରିକାରେ ବିକ୍ରି ୯୭ ପ୍ରତିଶତ ଆଇଫୋନ ଭାରତ ନିର୍ମିତ

Published By : Prameya-News7 Bureau | June 14, 2025 IST

ନୂଆଦିଲ୍ଲୀ,୧୪।୦୬: ଆମେରିକାରେ   ଆଇଫୋନ ବନାଇବା ଲାଗି ଆପଲକୁ ଟ୍ରମ୍ପ ଧମକ   ଦେବା ସତ୍ତ୍ବେ ମଧ୍ୟ ସେହି ଦେଶରେ ବିକ୍ରି ହେଉଥିବା  ପ୍ରାୟ ଫୋନ ଭାରତରେ ପ୍ରସ୍ତୁତ ହେଉଛି ।  ରିପୋର୍ଟ ମୁତାବକ, ଆପଲ୍‌ ମାର୍ଚ୍ଚରୁ ମେ ୨୦୨୫  ମଧ୍ୟରେ ଭାରତରୁ ଯେତେ ଆଇଫୋନ ରପ୍ତାନି କରିଛି  ତାର ୯୭% ଆମେରିକା ଯାଇଛି । ଏହାର ମୂଲ୍ୟ ପ୍ରାୟ  ୩.୨ ବିଲିୟନ ଡଲାର (୨୭ ହଜାର କୋଟି ଟଙ୍କା) ରହିଛି । ମେ ମାସରେ କେବଳ ୧ ବିଲିୟନ ଡଲାର  ବା ୮୬୦୦ କୋଟିର ଆଇଫୋନ ଭାରତରୁ ଆମେରିକା  ଯାଇଛି ।

ଏହାକୁ ଦେଖିଲେ ଏବେ ଆପଲ ଆମେରିକା  ବଜାର ଲାଗି ଭାରତରୁ ହିଁ ସ୍ୱତନ୍ତ୍ର ଭାବେ ଆଇଫୋନ   ପ୍ରସ୍ତୁତ କରୁଛି । ୨୦୨୫ ଜାନୁଆରିରୁ ମେ ମଧ୍ୟରେ ଭାରତରୁ ଆମେରିକାକୁ ୪.୪ ବିଲିୟନ ଡଲାର (୩୭  ହଜାର କୋଟି)ର ଆଇଫୋନ ରପ୍ତାନି ହୋଇଛି । ୨୦୨୪ ସମାନ ଅବଧିରେ ଏହା ୩.୭  ବିଲିୟନ ଡଲାର ତୁଳନାରେ ଅଧିକ । ୨୦୨୪ ସୁଦ୍ଧା  ଆମେରିକାରେ ବିକ୍ରି ହେଉଥିବା ୫୦% ଆଇଫୋନ ଭାରତରେ ପ୍ରସ୍ତୁତ ହୋଇଥିଲା । ଡୋନାଲ୍ଡ ଟ୍ରମ୍ପ ୨୩  ମେରେ କହିଥିଲେ, ଆମେରିକାରେ ବିକ୍ରି ହେବାକୁ  ଥିବା ଆଇଫୋନ ଭାରତ କିମ୍ବା ଅନ୍ୟ କୌଣସି  ଦେଶରେ ନୁହେଁ ଆମେରିକାରେ ହିଁ ପ୍ରସ୍ତୁତ ହେବା  ଆବଶ୍ୟକ । କମ୍ପାନି ଯଦି ଆମେରିକାରେ ଆଇଫୋନ  ନ ବନାଏ ତେବେ ଏହା ଉପରେ ଅନ୍ତତଃ ପକ୍ଷେ  ୨୫% ଟିକସ ଲାଗୁ କରିବାକୁ ସିଇଓ ଟିମ୍‌ କୁକଙ୍କୁ  ଚେତାଇ ଦେଇଥିଲେ ।  

ତେବେ ଏବେ ବର୍ତ୍ତମାନ ଆପଲ ଭାରତ ଉପରେ   ଫୋକସ କରିଛି । ଚୀନ ବଜାର ପରିବର୍ତ୍ତେ ଭାରତ   ଉପରେ ଏବେ ସପ୍ଲାଇଚେନକୁ ସ୍ଥାନାନ୍ତର କରିଛି   କମ୍ପାନି । ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍‌ଆଇ)  ସ୍କିମ ଯୋଗୁ ଆପଲକୁ ଫୋନ ଯୋଗାଉଥିବା  କମ୍ପାନିଗୁଡ଼ିକ ଭାରତ ବଜାର ପାଇଁ ବେଶ ଉତ୍ସାହୀ  ହୋଇଛନ୍ତି । ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ  ସ୍ମାର୍ଟଫୋନ ବଜାର ଭାବେ ଉଭା ହୋଇଛି । କୁଶଳୀ ଶ୍ରମଶକ୍ତି, ଭିତ୍ତିଭୂମି ଏବଂ ରପ୍ତାନିର ଉନ୍ନତ ସୁଯୋଗ  ସୃଷ୍ଟି ହୋଇଥିବାରୁ ଭାରତ ବଜାର ଉପରେ କମ୍ପାନି  ଧ୍ୟାନ କେନ୍ଦ୍ରିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.